ଜାନୁଆରୀ ୧୮ ରୁ ଏ ପର୍ଯ୍ୟନ୍ତ ଓଡିଶାରେ ୧୪ ଟି ହାତୀ ମରିଛନ୍ତି, ହାଇକୋର୍ଟଙ୍କୁ ଜଣାଇଲା ଜଏଣ୍ଟ ଟାକ୍ସଫୋର୍ସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି କରିବା ବେଳେ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ଜାନୁଆରୀ ୧୮ ରୁ ଏ ପର୍ଯ୍ୟନ୍ତ କେତେ ହାତୀ ମରିଛନ୍ତି ଓ କେତେ ମଣିଷ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ହାଇକୋର୍ଟ ଜାଣିବାକୁ ଚାହିଁଥିବା ବେଳେ ଏହି ସମୟ ମଧ୍ୟରେ ୧୪ ଟି ହାତୀ ମରିଥିବା ଜଣାଇଛନ୍ତି ଜଏଣ୍ଟ ଟାକ୍ସଫୋର୍ସ କମିଟି। ସେ ମଧ୍ୟରୁ ଶିକାରୀଙ୍କ ଦ୍ୱାରା ଦୁଇଟି ହାତୀ ଶିକାର ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ୪ଟି, ରୋଗଗ୍ରସ୍ତ ହୋଇ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏହା ସହିତ ହାତୀ ଆକ୍ରମଣରେ ୧୪ ରୁ ୧୮ ଜଣ ମୃତାହତ ହୋଇଥିବା କୋର୍ଟଙ୍କୁ ଅବଗତ କରାଯାଇଛି। ଜଏଣ୍ଟ ଟାକ୍ସ ଫୋର୍ସର ଆବାହକ ମନୋଜ ନାୟର ଏହି ତଥ୍ୟ ହାଇକୋର୍ଟଙ୍କୁ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ କରିବାକୁ ଧାର୍ଯ୍ୟ କରିଛନ୍ତି ।

ଏହା ସହିତ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି। ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ସମୟରେ ଜଶିପୁର ଥାନା ଅଧିକାରୀ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ ଆଘାତ ଯୋଗୁଁ ହେଉଥିବା ହାତୀ ମୃତ୍ୟୁ ଘଟଣାରେ ହାଇକୋର୍ଟ ଘୋର ଉଦବେଗ ପ୍ରକାଶ କରିଥିବା ବେଳେ ରାଜ୍ୟର ୫ ଟି ବିଦ୍ୟୁତ ବିତରଣ କମ୍ପାନୀକୁ ନୋଟିସ ଜାରି କରିଛନ୍ତି। ବନ ବିଭାଗ ଅଞ୍ଚଳରେ କିଭଳି ବିଦ୍ୟୁତ ବଣ୍ଟନ କରାଯାଇଛି ଓ କାହିଁକି ହାତୀ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ହାଇକୋର୍ଟରେ ତଥ୍ୟ ରଖିବାକୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ ଶୁଣାଣି ସମୟରେ ଶିମିଳିପାଳ ରେ ହାତୀ କୁ ମାରି ପୋଡ଼ିଦେବା ଘଟଣା କୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପିସିସିଏଫ କୋର୍ଟରେ ସ୍ୱୀକାର କରିଥିଲେ ଯେ ବନ କର୍ମଚାରୀ ମାନେ ଏହି ହାତୀକୁ ମାରିବା ସହ ପୋଡି ଦେଇଛନ୍ତି।

୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଜୁଲାଇ ୨୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଂଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ। ଆଜିର ଶୁଣାଣି ସମୟରେ ଭର୍ଚୁଆଲ ମାଧ୍ୟମରେ ଜଏଣ୍ଟ ଟାକସ ଫୋର୍ସର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.