ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏବିଏ ପଢୁଆ ଝିଅଙ୍କ କଳାକାରନାମା । ହଷ୍ଟେଲ ସହପାଠୀଙ୍କ ଠାରୁ ଲ୍ୟାପଟପ ଓ ମୋବାଇଲ ଚୋରି କରି ହେଲେ ଗିରଫ। ଘଟଣା ଘଟିଛି ଇନଫୋସିଟି ଥାନା ଅଞ୍ଚଳରେ । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଦ୍ୱୟ ଘରୋଇ କଲେଜରେ ପଢିବା ସହିତ ଏମବିଏ-୨, ହଷ୍ଟେଲ ବ୍ଲକ-ଡି ରେ ରୁହନ୍ତି । ଘଟଣା ଦିନ ଉଭୟଙ୍କ ଅନୁପସ୍ଥିତର ସୁଯୋଗ ନେଇ କୌଣସି ଅଭିଯୁକ୍ତ ତାଙ୍କ ରୁମରୁ ୨ଟି ଲାପଟପ ଚୋରିକରି ନେଇଯାଇଥିଲେ ।
ଅଭିଯୋଗକାରିଣୀଙ୍କ ଜଣେ ସହପାଠିନୀଙ୍କ ଉପରେ ସନ୍ଦେହ କରି ଏନେଇ ପଚାରିବାରୁ ସେ ହଠାତ ଉତ୍ତ୍ୟକ୍ତ ହୋଇ ଉଭୟଙ୍କୁ ଠେଲାପେଲା କରିଥିଲେ । ତାଙ୍କ ମୋବାଇଲ ଯାଞ୍ଚ କରିବାରୁ ତାଙ୍କ ମୋବାଇଲରେ ବହୁ ପରିମାଣର ଟଙ୍କା ନେଣଦେଣ ହୋଇଥିବାର ଉଭୟ ଅଭିଯୋଗକାରିଣୀ ଦେଖିବାକୁ ପାଇଥିଲେ । ପରେ ଉଭୟ ଇନଫୋସିଟି ଥାନାରେ ଏବିଷୟରେ ଅଭିଯୋଗ କରିଥିଲେ । ଇନଫୋସିଟି ଥାନା ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲେ ।
ତଦନ୍ତ କାଳରେ ପୁଲିସ ସମ୍ପୃକ୍ତ ସହପାଠିନୀଙ୍କୁ ପଚରା ଉଚରା ନିମନ୍ତେ ଥାନାକୁ ଆଣିଥିଲେ । ସେଠାରେ ସହପାଠିନୀ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ଗତ ତା.୧୬.୦୯.୨୦୨୨ ରିଖରେ ଘଟିଥିବା ଘଟଣାରେ ମଧ୍ୟ ତାଙ୍କର ସମ୍ପୃକ୍ତି ରହିଥିବା ସେ ସ୍ଵୀକାର କରିଥିଲେ, ତା ସହିତ ସେ ଚୋରୀ କରୁଥିବା ମୋବାଇଲ ଓ ଲାପଟପକୁ ଜଣେ ଅଭିଯୁକ୍ତଙ୍କୁ ବିକ୍ରୟ ନିମନ୍ତେ ହସ୍ତାନ୍ତର କରିବା ଏବଂ ତାଙ୍କ ନିକଟରୁ ଏ ବାବଦରେ ଟଙ୍କା ଗ୍ରହଣ କରୁଥିବା ନେଇ ମଧ୍ୟ ସୂଚନା ଦେଇଥିଲେ । ଇନଫୋସିଟି ଥାନା ପୁଲିସ ପୁନର୍ବାର ଚଢଉ କରି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲା । ପୁଲିସ ଅଭିଯୁକ୍ତାଙ୍କ ନିକଟରୁ ୨ଟି ଲାପଟପ ଏବଂ ୨ଟି ମୋବାଇଲ ଫୋନ ଜବତ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଲାପଟପ ଏବଂ ୨ଟି ମୋବାଇଲ ଫୋନ ଜବତ କରିଥିଲା । ତଦନ୍ତ ପରେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି ।